ମଣିଷର ମାନସିକ ଚାପ କେତେବେଳେ ତାକୁ କୁଆଡେ ନେଇଯିବ ତାହାର କୌଣସି ଅତ୍ତାପତ୍ତା ନଥାଏ । କେତେବେଳେ ଘରଲୋକ ଆଉ ସମାଜ ଚାପରେ ତ କେତେବେଳେ ଅପ୍ରୀତିକର ପରିସ୍ତିତିକୁ ସାମ୍ନା କରି ମଣିଷ କଠୋର ନିଷ୍ପତି ନିଏ । ତେବେ ଏଭଳି ଏକ ହୃଦୟ ବିଦାରକ ଘଟଣା ଶୁଣିବାକୁ ମିଳିଛି ଭଦ୍ରକରୁ ।
ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର
କୁନିଝିଅକୁ ଧରି ବାପା ବୈତରଣୀ ନଦୀକୁ ଡେଇଁ ନିଖୋଜ ହେବା ଘଟଣା ଏବେ ସାମ୍ନାକୁ ଆସିଛି । ଯାହା ଅତ୍ୟନ୍ତ ହୃଦୟ ବିଦାରକ । କୁନିଝିଅକୁ ଧରି ବାପା ବୈତରଣୀ ନଦୀକୁ ଡେଇଁବା ପରେ ଅନେକ ଖୋଜାଖୋଜି କରାଯାଇଥିଲା । ପ୍ରାୟ 35 ଘଣ୍ଟା ପରେ ବୈତରଣୀ ନଦୀର କଣ୍ଟିଘାଇରୁ ମିଳିଲା ବାପାର ମୃତ ଦେହ ।
ଚନ୍ଦନ ସାହୁଙ୍କ ମୃତ ଦେହକୁ ତାଙ୍କ ଭିଣୋଇ ଚିହ୍ନଟ କରିଛନ୍ତି । ତେବେ ଏପର୍ଯ୍ୟନ୍ତ ନିଖୋଜ କୁନିଝିଅର ପତ୍ତା ମିଳୁନଥିବାବେଳେ ଖୋଜାଖୋଜି ଜାରି ରହିଛି । ସୂଚନା ଅନୁସାରେ, ବାପା ବୈତରଣୀ ନଦୀକୁ ଡେଇଁ ନିଖୋଜ ହେବା ଘଟଣାରେ ଏକ ଅଡିଓ ସାମ୍ନାକୁ ଆସିଥିଲା ।
ଯେଉଁଥିରେ ଭଦ୍ରକ ବୈତରଣୀ ନଦୀକୁ ଡେଇଁବା ପୂର୍ବରୁ ଅଢେଇ ବର୍ଷର କୁନି ଝିଅକୁ ଗାଡିରେ ବସାଇ ନିଜ ଦେଇଙ୍କୁ ଫୋନ୍ କରୁଛନ୍ତି ଚନ୍ଦନ । ଗାଡି ଚଳାଇବା ସମୟରେ ଫୋନରେ କଥା ହେଉଥିବାରୁ ବାପାଙ୍କୁ ଆକଟ କରୁଛି କୁନି ଝିଅ । ଆଉ କୁନି ଝିଅର ଏହି କଥା ଆପଣଙ୍କ ଆଖରେ ଲୁହ ଆଣିଦେବ ।
ବାପାକୁ କହୁଛି, 'ବାପା ଗାଡି ଚଳାଇବେ ବେଳେ କାହିଁକି କଥା ହେଉଛ ।' ଯୁବକ ଜଣକ ନଦୀକୁ ଡେଇଁବା ପୂର୍ବରୁ ଶେଷ କଲରେ କହୁଛନ୍ତି, 'ଦେଇ ମୁଁ ମରିଯିବି, ଆଉ ବଞ୍ଚିବାକୁ ଚାହୁଁନି । ମୋ ଝିଅକୁ ଧରି ମୁଁ ଚାଲି ଆସିଛି, ପାଣିକୁ ଡେଇଁ ପଡ଼ିବି । ମୋର ଆଉ ବଞ୍ଚିବା ପାଇଁ ଇଚ୍ଛା ନାହିଁ ।'
ଏମିତି ନକରିବା ପାଇଁ ଭାଇକୁ ରାଣନିୟମ ପକାଇଥିଲେ ଯୁବକଙ୍କ ଦେଇ । ଯୁବକ ଜଣକ କହିଥିଲେ, 'ମୁଁ ଆଉ କାହା କଥା କିଛି ଶୁଣିବିନି, ମରିଯିବି ।' ଚନ୍ଦନର ଏପରି କଥା ଶୁଣି ଆଶ୍ଚର୍ଯ୍ୟ ହୋଇପଡ଼ୁଛନ୍ତି ତାଙ୍କ ପିଉସୀ । ତାଙ୍କୁ ବୁଝାଇବା ପାଇଁ ଚେଷ୍ଟା କରୁଛନ୍ତି । କୁନି ଝିଅର ଭବିଷ୍ୟତ କଥା ଭାବିବା ସହ ଏପରି ପଦକ୍ଷେପ ନନେବା ପାଇଁ ବୁଝାଉଛନ୍ତି । ହେଲେ ନିଜ ନିଷ୍ପତିରେ ଅଟଳ ଚନ୍ଦନ ପିଉସୀଙ୍କ କଥା ଶୁଣୁ ନାହାନ୍ତି । ନଦୀକୁ ଡେଇଁ ପଡ଼ି ଜୀବନ ହାରିବେ ବୋଲି ବାରମ୍ବାର କହୁଛନ୍ତି । ତେବେ ଏଭଳି ଏକ ଅଡିଓ ସାମ୍ନାକୁ ଆସିବା ପରେ ବାପା ଝିଅ ଆତ୍ମହତ୍ୟା କରିଥିବା ଏକ ପ୍ରକାର ସ୍ପଷ୍ଟ ହୋଇଛି ।
ତେବେ ଏହାର କାରଣ ବିଷୟରେ ଚନ୍ଦନଙ୍କ ମାଆ କହିଛନ୍ତି, 'ପୁଅ ସବୁବେଳେ ଚାପରେ ରହୁଥିଲା । ସ୍ତ୍ରୀ ମରିଯିବା ପରେ ସେ ନିଜ ସ୍ତ୍ରୀକୁ ପ୍ରତିଦିନ ଝୁରୁଥିଲା । ସେପଟେ ଝିଅ ଘର ଲୋକେ ଚନ୍ଦନକୁ ଦ୍ଵିତୀୟ ବିବାହ ମଧ୍ୟ କରାଇ ଦେଉନଥିଲେ । ଆଉ 2 ଲକ୍ଷ ଟଙ୍କା ଦାବି କରୁଥିଲେ । ସେପଟେ ଝିଅର ଭବିଷ୍ୟତକୁ ନେଇ ଚିନ୍ତାରେ ଥିଲେ ବାପା । ଆଉ ଶାଶୂଘର ଲୋକେ ବାର୍ ବାର୍ ଧମକାଇ ଟଙ୍କା ମାଗୁଥିଲେ । ଏସବୁରୁ ମୁକ୍ତି ପାଇବା ପାଇଁ ଶେଷକୁ ଚନ୍ଦନ ଏପରି ପଦକ୍ଷେପ ନେଲେ।'